Administration Times

ବିଶ୍ୱାସ ଜିତିଲେ ଚାରି ମଙ୍ଗଧାରୀ ଆଇପିଏସ…

ଫୋନିବେର ପ୍ରଭାବିତ ପୁରୀରେ ଚଳିତ ରଥଯାତ୍ରାର ଆୟୋଜନ ଏକ ଚ୍ୟାଲେଞ୍ଜ ପାଲଟିଯାଇଥିଲା । ଭୂଷିଡି ପଡିଥିବା ଭିତ୍ତି ଭୂମି ଭିତରେ ୧୦ଲକ୍ଷ ଭକ୍ତଙ୍କ ସମାଗମ ପୁଲିସ ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ବନିଥିଲା । ଠିକ ଏତିକି ବେଳେ ତୃତୀୟ ମହଲା ଚାରି ବରିଷ୍ଠ ଆଇପିଏସଙ୍କ ଉପରେ ଭରସା କରିଥିଲା । ଯେଉଁମାନେ ରଥଯାତ୍ରାର ରିୟଲ ହିରୋ ବନିଛନ୍ତି । ଦେଖନ୍ତୁ କିଏ ଏହି ଆଇପିଏସ ।


ପୁରୀ ରଥଯାତ୍ରା ପରିଚାଳନାରେ ଗୁରୁଦାୟିତ୍ୱ ସହ କେନ୍ଦ୍ରାଂଚଳ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀମନ୍ଦିର ସୁରକ୍ଷାର ଦାୟିତ୍ୱ ମିଳିଥିଲା । ୨୦୧୫ରେ ଏହି ବରିଷ୍ଠ ଆଇପିଏସ ଓଏସଡି ଭାବେ ସଫଳତାର ସହ ନବକଳେବରର ପରିଚାଳନା କରିଥିଲେ । ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ପ୍ରାୟ ୦୫ ବର୍ଷ ଧରି ପୁରୀର ଏସପି ମଧ୍ୟ ରହିଥିଲେ । ସେବେଠାରୁ ରଥଯାତ୍ରା ପରିଚାଳନା କ୍ଷେତ୍ରରେ ତାଙ୍କ ଭୂମିକା ଚର୍ଚ୍ଚାକୁ ଆସଥିଲା । ଆଉ ରଥଯାତ୍ରା ହେଉ ଅବା ସୁନାବେଶ, ସ୍ନାନଯାତ୍ରା ହେଉ ଅବା ବାହୁଡା ପୁରୀରେ କୈାଣସି ମଧ୍ୟ ବଡ ଆୟୋଜନ ହେଲେ ଲୋଡା ପଡନ୍ତି ଏହି ଟପ୍ ଆଇପିଏସ । ଏଥର ବି ନିଜ କାର୍ଯ୍ୟଦକ୍ଷତାକୁ ସଫଳତାର ସହ ଜାହିର କରିଛନ୍ତି ସୈାମେନ୍ଦ୍ର ପ୍ରିୟଦର୍ଶୀ । ସେହିଭଳି ରଥଯାତ୍ରାର ଆୟୋଜନରେ ଆଉ ଜଣେ ବରିଷ୍ଠ ଆଇପିଏସ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ୧୯୯୮ ବ୍ୟାଚର ଏହି ଆଇପିଏସ ଭୁବନେଶ୍ୱରର ପ୍ରଥମ ଡିସିପି ହେବା ସହ ବିଭିନ୍ନ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନିଜର ଦମ୍ଦାର୍ ପ୍ରଦର୍ଶନ ପାଇଁ ବେଶ ପରିଚିତ । ଏଥିପାଇଁ ପାୱାର କରିଡର ବି ଅମିତାଭଙ୍କ ଉପରେ ଯଥେଷ୍ଟ ଭରସା କରେ । ଚଳିତ ରଥଯାତ୍ରାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଥିଲା । ସବୁଠାରୁ ବଡ କଥା ହେଉଛି ସାଧାରଣ ଭକ୍ତଙ୍କ ଗାଡି ଚଳଚଳ ସହ ଭିଆଇପି ରୁଟ ଓ ଜରୁରୀକାଳୀନ ରୁଟର ସୁପରିଚଳାନା କରି ଭିଡ ଭିତରେ ବି କେମିତି ଟ୍ରାଫିକ ଜାମ ହେବନି ତାହା କରିଦେଖାଇଛନ୍ତି ଆଇପିଏସ ଅମିତାଭ ଠାକୁର । ସେହିପରି ଆଇପିଏସ ସଞ୍ଜୀବ ପଣ୍ଡାଙ୍କ ହାତରେ ଚଳିତ ରଥଯାତ୍ରାର ଆଇନ-ଶୃଙ୍ଖଳା ଦାୟିତ୍ୱ ନ୍ୟସ୍ତ ରହିଥିଲା । ନିକଟରେ ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଆଇନ ଶୃଙ୍ଖଳା ଭାବେ ପଦୋନ୍ନତି ମିଳିଥିବା ବେଳେ ନିଜେ ସଞ୍ଜୀବ ପଣ୍ଡା ପୁରୀରେ ରହି ଆଇନ ଶୃଙ୍ଖଳା ପରିଚାଳନା କରିଛନ୍ତି । ସେହିପରି ୧୯୯୭ ବ୍ୟାଚର ଆଇପିଏସ ଅସୀତ ପାଣିଗ୍ରାହୀଙ୍କ ଉପରେ ବି ଗୁରୁଦାୟିତ୍ୱ ନ୍ୟସ୍ତ କରିଥିଲେ ରାଜ୍ୟ ସରକାର । ପୂର୍ବରୁ ପୁରୀର ଏସ୍ପି ରହିସାରିଥିବା ଅସୀତ ଦୂର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ କରି ଶାସନତନ୍ତ୍ରର ନଜରକୁ ଆସିଥିଲେ । ଆଉ ରଥଯାତ୍ରାରେ ୧୦ଲକ୍ଷ ଭକ୍ତଙ୍କ ଭିଡ ନିୟନ୍ତ୍ରଣର ଦାୟିତ୍ୱ ଆଇପିଏସ ଅସୀତ ପାଣିଗ୍ରାହୀଙ୍କୁ ଦେଇଥିଲେ ସରକାର,ଯାହାକୁ ସେ ସୁଚାରୁ ରୂପେ ପରିଚାଳନା କରିଛନ୍ତି । ଏମିତିକି କେବଳ ବଡଦାଣ୍ଡ ନୁହେଁ ବଡଦାଣ୍ଡ ସହ ସଂଗ୍ଲନ ଗଳି କନ୍ଦିରେ ବି ଭିଡକୁ ନିୟନ୍ତ୍ରଣ କରିବାରେ ଏଥର ସଫଳ ହୋଇଛି ପୁଲିସ ।

Comment here