Political Times

ରାଜନୀତିରେ ଶୃଙ୍ଖଳାର ଶୀର୍ଷରେ ରଣେନ୍ଦ୍ର..

ଅର୍ଥବଳ,ବାହୁବଳ,କ୍ଷମତା ଲାଳସା,ଦୁର୍ନୀତି-ରାଜନୀତିକୁ ନେଇ ଏମିତି ଅନେକ ଅଭିଯୋଗ ଆପଣ ମାନେ ଶୁଣିଥିବେ । ହେଲେ ଆଜି ଆମେ ଏମିତି ଜଣେ ରାଜନେତାଙ୍କୁ ନେଇ ରିପୋର୍ଟ ପ୍ରକାଶ କରୁଛୁ ଯିଏ ରାଜନୀତିରେ ନୀତି,ନୈତିକତା ଓ ଶୃଙ୍ଖଳାର ଅଦ୍ୱିତୀୟ ଉଦାହରଣ । ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା ସ୍ୱାଇଁ) । ବର୍ତମାନ ନବୀନଙ୍କ କ୍ୟାବିନେଟରେ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଅଛନ୍ତି ରାଜା ସ୍ୱାଇଁ । ସମ୍ମାନ,ସ୍ୱାଭିମାନ ଓ ପତିଆରାରର ପରୀକ୍ଷା କୁହାଯାଉଥିବା ପାଟକୁରାର ପ୍ରଚାର ମୈଦାନରେ ବି ରାଜାଙ୍କ ଉପରେ ଭରସା କରିଛି ବିଜେଡି । ରାଜନୀତିର ଅନେକ ଧୂରିଣ ଖେଳାଳି ଅଛନ୍ତି,ହେଲେ ପ୍ରଶ୍ନ ଉଠିବା ସ୍ୱଭାବିକ ରଣେନ୍ଦ୍ର ସ୍ୱତନ୍ତ୍ର କାହିଁକି?

ଏହାର ଗୋଟିଏ ଉତ୍ତର ହେଉଛି ଶୃଙ୍ଖଳା ଓ ସଞ୍ଜମତା ।

ରାଜନୀତିରେ ନିର୍ବାଚନୀ ଟିକେଟ୍ ଓ ପଦପଦବୀକୁ ନେଇ ରାଜନେତାଙ୍କ କେତେ ଆକର୍ଷଣ ତାହା ଆପଣମାନେ ଜାଣିଥିବେ । କ୍ଷମତାରୁ ଦୂରେଇଗଲେ ପରସ୍ପରକୁ ସମାଲୋଚନା ଓ ଦଳବଦଳ ଭଳି ଚିତ୍ର ବି ଦେଖିଥିବେ । ହେଲେ ରଣେନ୍ଦ୍ରଙ୍କ କ୍ଷେତ୍ରରେ ତାହା ପୁରା ଓଲଟା । ଅଙ୍କାବଙ୍କା ରାଜନୀତିର ରାସ୍ତାରେ କେବେ ବି ଲାଇନଚ୍ୟୁତ ହୋଇ ନାହାଁନ୍ତି ରଣେନ୍ଦ୍ର । ୧୯୯୦ ମସିହାରୁ ଆଠଗଡର ବିଧାୟକ ରହି ଆସୁଥିବା ରଣେନ୍ଦ୍ରଙ୍କୁ ୨୦୦୯ ମସିହାରେ ଟିକେଟ୍ ମିଳିନଥିଲା । ହେଲେ ଏହି ଘଡିସନ୍ଧି ମୂହୁର୍ତରେ ସେ ଅଭିମାନ ବା ଅହଙ୍କାରର ଆଳ ଦେଖାଇ ଦଳ ବିରୋଧୀ ମନ୍ତବ୍ୟ ଦେଇନଥିଲେ କି ଦଳ ଛାଡି ନଥିଲେ । ଦଳ ଭିତରେ ରହି ଆଇନ ଓ ସମ୍ବିଧାନ ଅନୁସାରେ ନିଜ ଅଧିକାର ପାଇଁ ଲଢେଇ କରିଥିଲେ । ଶେଷରେ କୋର୍ଟଙ୍କ ରାୟ ଆସିଲା ଓ ୨୦୧୨ରେ ଆଠଗଡ ଉପନିର୍ବାଚନରେ ବାଜିମାତ କଲେ ରାଜା । କୁହାଯାଏ ସେହି ସମୟରେ ରାଜାଙ୍କ ଏଭଳି ଆଚରଣ ବିଜେଡିର କ୍ଷମତା ଅଳିନ୍ଦକୁ ବେଶ ପ୍ର୍ରଭାବିତ କରିପାରିଥିଲା । ସେହପିରି କ୍ଷମତା ରାଜନୀତିରେ ପଦ ପଦବୀର ଲାଳସା ବି ରାଜାଙ୍କୁ ଛୁଇଁ ପାରିନାହିଁ । ନବୀନଙ୍କ ପ୍ରଥମ ପାଳିରେ ଚାରି ବର୍ଷ ଧରି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ତାପରେ ସବୁ ନିର୍ବାଚନରେ ବାଜିମାତ କରିବା ସତ୍ୱେ ମନ୍ତ୍ରୀ କରିଡରକୁ ଆଉ ଆସିପାରି ନଥିଲେ ରାଜା ସ୍ୱାଇଁ । ହେଲେ କ୍ଷମତା ଲାଳସାରେ ଚୁର ନ ହୋଇ ଦଳ ଓ ସଙ୍ଗଠନ ପାଇଁ କାର୍ଯ୍ୟ ଜାରି ରଖିଲେ । ଚର୍ଚ୍ଚାହୁଏ ରାଜାଙ୍କ ଏଭଳି ଶୃଙ୍ଖଳିତ ଆଚରଣ ତୃତୀୟ ମହଲାକୁ ବେଶ ପ୍ରଭାବିତ କରିପାରିଛି । ସେଥିପାଇଁ ତ ୨୦୧୯ରେ ତାଙ୍କୁ କ୍ୟାବିନେଟରେ ସାମିଲ କରିବା ସହ ପାଟକୁରାରେ ପ୍ରଚାରର ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ଏତିକି ନୁହେଁ ବିଧାନସଭାରେ ବି ଆଠଗଡ ବିଧାୟକଙ୍କ ଅନ୍ଦାଜ ବେଶ ନିଆରା । ଶାସକ ଦଳର ନେତା ହୁଅନ୍ତୁ ଅବା ବିରୋଧୀ ଦଳର ନେତା କାହାକୁ ବି ରୋକଠୋକ ପ୍ରଶ୍ନ କରିବାକୁ ପଛାନ୍ତି ନାହିଁ ରାଜା ସ୍ୱାଇଁ । ଅନେକ ପ୍ରଶ୍ନରେ ସେ ଶାସକଦଳକୁ ବି ସମାଲୋଚନା କରିଛନ୍ତି । କିନ୍ତୁ କେବେ ବି ଗୃହ ବାହାରେ,ଗଣମାଧ୍ୟମରେ କି ସର୍ବସାଧାରଣରେ ଦଳ ବା ଦଳୀୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିନାହାଁନ୍ତି,ଯାହା ଜଣେ ରାଜନେତାଙ୍କ ଶୃଙ୍ଖଳା ଓ କାର୍ଯ୍ୟଦକ୍ଷତାର ପ୍ରତିଫଳନ । ଟିକେଟ ମିଳୁ ଅବା ନମିଳୁ,ମନ୍ତ୍ରିମଣ୍ଡଳରେ ଥାଆନ୍ତୁ ବା ନଥାନ୍ତୁ ସବୁବେଳେ କିନ୍ତୁ ଆଠଗଡ ସମସ୍ୟା ଓ ସମାଧାନ ଭିତରେ ବିକାଶ ସହ ଯୋଡି ହୋଇ ରହିଛନ୍ତି ରଣେନ୍ଦ୍ର । ସେଥିପାଇଁ ପାୱାର କରିଡରରେ ରଣେନ୍ଦ୍ର ପ୍ରତାପ କବେଳ ପାୱାରଫୁଲ ନୁହଁନ୍ତି ବରଂ ଆଠଗଡର ଦରଦି ମଣିଷ ଭାବେ ଲୋକଙ୍କ ହୃଦୟରେ ବି ରାଜୁତି କରିପାରିଛନ୍ତି ରାଜା ସ୍ୱାଇଁ ।

Comment here