Political Times

ଆଇଆଇଟିରୁ ଆଇଟି ମନ୍ତ୍ରୀ

ତୁଷାରକାନ୍ତି ବେହେରା,ଆଇଟି ମନ୍ତ୍ରୀ ।


ଯୁବ ରାଜନୀତିରେ ଆପଣମାନେ ଅନେକ ଚେହେରା ଦେଖିଥିବେ । ହେଲେ ରାଜନୀତି ପାଇଁ ଆଇଆଇଟି ଇଞ୍ଜିନୟର ହୋଇ ଚାକିରୀ ଛାଡିବାର ନିଷ୍ପତି ଖୁବ କମ ଶୁଣିଥିବେ । ଅନେକ ଆଇଆଇଟି ଛାତ୍ର ଦେଶର ବଡ ବଡ ପ୍ରଶାସନିକ ସେବା ପ୍ରତି ମନ ବଳାନ୍ତି । କିନ୍ତୁ ତୁଷାରକାନ୍ତି ଆଇଆଇଟି ପରର ଚାକିରୀ ଛାଡି ରାଜନୀତିର ରଣାଙ୍ଗନକୁ ବାଛିଛନ୍ତି । ଆଉ ଯୁବ ରାଜନୀତିର ସଫଳ ଚେହେରା ବନି ପାରଛନ୍ତି ।
୨୦୧୪ ନିର୍ବାଚନ ବଳେ କାକଟପୁର ନିର୍ବାଚନ ମଣ୍ଡଳୀରୁ ଆସିଥିଲା ଏଭଳି ଏକ ଖବର ଯାହା ଯେତିକି ଚର୍ଚ୍ଚା ସାଉଁଟିଥିଲା ସେତିକି ଆଶ୍ଚର୍ଯ୍ୟ ବି କରିଥିଲା । କାହିଁକି ନା ଆଇଆଇଟି ପରର ଚାକିରୀ ଛାଡି ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ରାଜନୀତିର ଯୁବ ଚେହେରା ଆଇଆଇଟିଆନ ତୁଷାରକାନ୍ତି ବେହେରା । ବିଜେପି ଟିକେଟରେ କାକଟପୁରରୁ ନିର୍ବାଚନ ଲଢିଥିଲେ,ଅବଶ୍ୟ ପରାଜିତ ହେଲେ । କିନ୍ତୁ ହାର ମାନିନଥଲା ତୁଷାରଙ୍କ ଇଚ୍ଛାଶକ୍ତି,ଲୋକଙ୍କ ସହ ଯୋଡି ହୋଇ ସମାଜସେବା ଜାରି ରିଖିଥିଲେ ରାଜନୀତିର ଏହି ଯୁବ ଚେହେରା,ଯାହର ଫଳ ୨୦୧୯ ସାଧାରଣ ନିର୍ବାଚନ ସହ ସାମ୍ନାକୁ ଆସିଲା । କାକଟପୁର ଆସନରୁ ବିପୁଳ ଭୋଟରେ ବିଜୟୀ ହେଲେ ତୁଷାରକାନ୍ତି । ଏହାରି ଭିତରେ ତୁଷାରକାନ୍ତିଙ୍କ ଦଳବଦଳକୁ ନେଇ କିଛି ଲୋକ ପ୍ରଶ୍ନ କରନ୍ତି । ହେଲେ ସତ କିନ୍ତୁ କିଛି ଭିନ୍ନ । କାହିଁକି ନା କ୍ଷମତା ଲାଳସା ପାଇଁ ସେ ଦଳବଦଳ କରିନାହାଁନ୍ତି ବରଂ ରାଜନୀତିର ଅନେକ ଅଭିଜ୍ଞ ରାଜନେତାଙ୍କୁ ସେ ବୁଝାଇଦେଇଛନ୍ତି ଯେ ରାଜନୀତି ପାଇଁ ପଦ ନୁହେଁ ଆବଶ୍ୟକ ଆଦର୍ଶ ଓ ଆଗ୍ରହ । ୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ କାକଟପୁର ଆସନରୁ ପ୍ରାର୍ଥୀ କରସାରିଥିଲା । ହେଲେ ବିଜୁ ଆଦର୍ଶକୁ ଭଲ ପାଇ ସେ ସମ୍ମାନର ସହ ବିଜେପି ଟିକେଟକୁ ଫେରସ୍ତ କରି ବିଜେଡିରେ ସାମିଲ ହେଲେ । ସେତେବେଳକୁ ବିଜେଡି କାକଟପୁର ପାଇଁ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିଲା । କିନ୍ତୁ ଚର୍ଚ୍ଚା ହୁଏ ଉଚ୍ଚଶିକ୍ଷିତ ତୁଷାରଙ୍କ ଶାନ୍ତ ସ୍ୱଭାବ ଓ ନେତୃତ୍ୱ ନେବାର ପରାକାଷ୍ଠା ବିଜେଡିର ଅନ୍ଦର ମହଲକୁ ବେଶ ପ୍ରଭାବିତ କରିଥିଲା । ଯେଉଁଥିପାଇଁ ଶେଷ ମୂହୁର୍ତରେ କାକଟପୁର ଆସନ ପାଇଁ ତୁଷାରକାନ୍ତିଙ୍କ ଉପରେ ଭରସା କରିଥିଲା ଦଳ । ଆଉ ତୁଷାର ବି ବିଜେଡିର ଭରସା ରଖିଲେ ଓ ନିର୍ବାଚିତ ହେଲେ ।


ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ତୁଷାରଙ୍କ ଦକ୍ଷତା ଏହାରି ଭିତରେ ପାୱାର କରିଡରକୁ ଏତେ ପ୍ରଭାବିତ କରିସାରିଥିଲା ଯେ ଆରମ୍ଭରୁ ହିଁ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଇଆଇଟିଆନଙ୍କୁ ମିଳିଲା ଆଇଟି ବିଭାଗର ଦାୟିତ୍ୱ,ତା ସହ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ବି ହେଲେ ତୁଷାର । ଏଥର ବଡ ଦାୟିତ୍ୱ ସହ ରାଜନୀତିର ଆଉ ଏକ ଇନିଂସ ଆରମ୍ଭ କରିଛନ୍ତି ତୁଷାରକାନ୍ତି । ନୂଆ କ୍ରୀଡା ନୀତି ସହ ଓଡିଶାକୁ ସ୍ପୋର୍ସ ହବ କରିବା ପାଇଁ ବଦ୍ଧପରିକର ଓଡିଶାର ନୂଆ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ।ଏମିତିକି ନିଜେ ଷ୍ଟାଡିୟମରୁ ଷ୍ଟାଡିୟମକୁ ବୁଲି ଭିତ୍ତିଭୂମିର ବାସ୍ତବତାକୁ ପରଖୁଛନ୍ତି ଓ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଆଉ ଜଣେ ଆଇଆଇଟିଆନଙ୍କ ହାତରେ ଏଥର ବୈଷୟିକ ଶିକ୍ଷା ଭଳି ବିଭାଗ ବି ଦାୟିତ୍ୱ ଥିବାରୁ ବିକାଶକୁ ନେଇ ଅନେକ ସମ୍ଭାବନାକୁ ଅପେକ୍ଷା କରିଛି ସାରା ଓଡିଶା ।

Comment here