Administration Times

ଆସିଲେ ସୁଧାଂଶୁ, ଛାନିଆ ଅପରାଧୀ…

ସୁଧାଂଶୁ ଷଡଙ୍ଗୀ ଭୁବନେଶ୍ୱର-କଟକର ନୂଆ ପୁଲିସ କମିଶନର ହେବା ପରେ ଛାନିଆ ହୋଇଯାଇଛନ୍ତି ଅପରାଧୀ । କାହିଁକି ନା ହାଇଟେକ ଷ୍ଟ୍ରାଟେଜି ସହ ଅପରାଧୀଙ୍କୁ ସାବାଡ କରିବା ପାଇଁ ଅଂଟା ଭିଡିଛନ୍ତି ପୁଲିସ କମିଶନର । ସୁଧାଂଶୁଙ୍କ ନେତୃତ୍ୱରେ ସାରା ଦେଶରେ ପ୍ରଥମ ଥର ପାଇଁ ଫେସ ଆଇଡେଂଟିଫିକେସନ ଟେକ୍ନୋଲୋଜିକୁ ବ୍ୟବହାର କରି ଅପରାଧୀଙ୍କୁ ଚିହ୍ନଟ କରିବ କମିଶନରେଟ ପୁଲିସ । ଅର୍ଥାତ ମୁହଁକୁ ଦେଖି ଅପରାଧୀଙ୍କୁ ଚିହ୍ନିବ ଆଉ ହାଜତରେ ଭରିବ । ସୁଧାଂଶୁଙ୍କ ଏହି ଷ୍ଟ୍ରାଟେଜି ଅପରାଧୀଙ୍କୁ ଛାନିଆ କରିଥିବା ବେଳେ ଲୋକଙ୍କୁ ଆଶ୍ୱସ୍ତ କରିଛି । ଗତ କିଛି ମାସ ଭିତରେ ରାଜଧାନୀରେ ଲୁଟ,ଛିନତାଇ ଓ ରାହାଜାନୀ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଚିନ୍ତାରେ ପଡିଯାଇଥିଲା ପୁଲିସ । ଠିକ ଏତିକି ବେଳେ କ୍ରାଇସିସ ମ୍ୟାନେଜର ଭାବେ ଟ୍ୱିନସିଟିର ଟପ୍ କୋପ୍ ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ସୁଧାଂଶୁ ।

୧୯୯୦ ବ୍ୟାଚ୍ର ଓଡିଶା କ୍ୟାଡର ଆଇପିଏସ୍ ହେଉଛନ୍ତି ସୁଧାଂଶୁ ଷଡଙ୍ଗୀ । ୧୯୮୭ରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ଗ୍ରାଜୁଏସନ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହା ସହ ଇଂଲଣ୍ଡର ଲିଭରପୁଲ ୟୁନିଭର୍ସିଟି ଭଳି ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନରେ ଇନଭେଷ୍ଟିଗେଟିଭ ସାଇକୋଲୋଜିରେ ପିଏଚ୍ଡି କରିଛନ୍ତି ସୁଧାଂଶୁ । ଆଉ ଟ୍ୱିନସିଟିର ନୂଆ ପୁଲିସ କମିଶନର ଦାୟିତ୍ୱ ନେବା ପରେ ସେ ଅପରାଧୀଙ୍କୁ ଚିହ୍ନିବା ସହ ଅପରାଧୀକ ମାନସିକତାକୁ ବୁଝି ଅପରାଧୀଙ୍କ ମୂଳୋତ୍ପାଟନ ପାଇଁ ଅଂଟା ଭିଡିଛନ୍ତି । ଗୁଇନ୍ଦା ପୁଲିସିଂକୁ ଫୋକସ କରିବା ସହ କେମିତି ଅପରାଧ ଘଟିବା ପୂର୍ବରୁ ଅପରାଧୀଙ୍କୁ କାବୁ କରିହେବ ସେନେଇ ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ । ଯାହା କମିଶନରେଟ ପୁଲିସର କେବଳ କାର୍ଯ୍ୟଦକ୍ଷତାକୁ ବଢାଇବ ନାହିଁ ବରଂ ଲୋକଙ୍କ ବିଶ୍ୱସିନୀୟତାକୁ ବି ବୃଦ୍ଧି କରିବ । ସେଥିପାଇଁ ତ ରାଜଧାନୀ ବାସୀଙ୍କ ମୁହଁରେ ଗୋଟିଏ କଥା… ‘ସାବାସ୍ ସୁଧାଂଶୁ’ ।

ତେବେ କେବଳ ପୁଲିସ କମିଶନର ଭାବେ ନୁହେଁ ବରଂ ଗୃହ ବିଭାଗରେ ବିଭିନ୍ନ ଦାୟିତ୍ୱରେ ରହି ପୂର୍ବରୁ ବି ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି ସୁଧାଂଶୁ । ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର, ବ୍ରହ୍ମପୁର ଓ ବାଲେଶ୍ୱରର ଏସପି ରହିବା ସହ ଆଇଜି ଅପରେସନ ଭାବେ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି ଏହି ଟପ କୋପ୍ । ଏମିତିକି କେନ୍ଦ୍ରୀୟ ଡେପୁଟେସନରେ ଯାଇ କ୍ୟାବିନେଟ ସଚିବ ଭାବେ ବି କାର୍ଯ୍ୟ କରିଛନ୍ତି । କୁହାଯାଏ ସୁଧାଂଶୁଙ୍କ ଅଭିଜ୍ଞତା ଓ ଦକ୍ଷତା ତୃତୀୟ ମହଲାକୁ ବେଶ ପ୍ରଭାବିତ କରିପାରିଛି । ସେଥିପାଇଁ ଅପରାଧ ଓ ଆଇନଶୃଙ୍ଖଳାକୁ ନେଇ କମିଶନରେଟ ପୁଲିସ ଯେତେବେଳେ ଏକ ଘଡିସନ୍ଧି ମୂହୁର୍ତରେ ଗତି କରୁଥିଲା,ସେତେବେଳେ ସୁଧାଂଶୁଙ୍କ ଉପରେ ଭରସା କରିଛି ପାୱାର କରିଡର । ଆଉ ତାଙ୍କୁ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ରାଜ୍ୟପାଳ ଓ ଭାରତୀୟ ପୁଲିସ ପଦକ ଭଳି ସମ୍ମାନରେ ସମ୍ମାନିତ ହୋଇଥିବା ସୁଧାଂଶୁଙ୍କ ଠାରୁ ବର୍ତମାନ ଟ୍ୱିନ ସିଟିବାସୀ ଅନେକ କିଛି ଆଶା ରଖିଛନ୍ତି ।

ନୂଆ ପୁଲିସ କମିଶନରଙ୍କୁ ନେଇ ଯେତେବେଳେ ଆମେ ଏହି ରିପୋର୍ଟ ପ୍ରକାଶ କରୁଛୁ ସେତେବେଳେ ତାଙ୍କ ଜୀବନର ଆଉ ଏକ ଫର୍ଦ୍ଦକୁ ଉଲ୍ଲେଖ ନକଲେ ବୋଧହୁଏ ଆମ ରିପୋର୍ଟଟି ଅଧାପନ୍ତରିଆ ହୋଇଯିବ । ଆଜ୍ଞା ହଁ! କେବଳ ଜଣେ ଟପ୍ ଆଇପିଏସ୍ ନୁହଁନ୍ତି ସୁଧାଂଶୁ ଷଡଙ୍ଗୀ । ଓଡିଆ ଭାଷା ପ୍ରତି ଆଗ୍ରହ ରଖୁଥିବା ସୁଧାଂଶୁ ଜଣେ ଉଚ୍ଚକୋଟିର ଲେଖକ ଓ ସ୍ତମ୍ଭକାର । ଏହାସହ ଜଣେ ସରଳ ଓ ସଚ୍ଚୋଟ ମଣିଷ ।

Comment here