Administration Times

ଆଇଏଏସ ଅନନ୍ୟା

ଜଣେ ଅନନ୍ୟ ଅଫିସରଙ୍କ କାହାଣୀ…


ଟ୍ୱିନସିଟିରେ ଗୋଟିଏ ପଟେ ଆଧୁନିକତାର ଛାପ ଧରି ଛିଡା ହୋଇଛି ଭୁବନେଶ୍ୱର । ଅନ୍ୟପଟେ ରହିଛି ଗଳିକନ୍ଦିର ପ୍ରାଚୀନ ସହର କଟକ । ଯେଉଁଠି ସଂସ୍କୃତି ଓ ପରମ୍ପରା ସହ ଇତିହାସର ସ୍ୱର୍ଣ୍ଣିମ ଝଲକ ରହିଛି । ହେଲେ ଭିତ୍ତିଭୂମିକୁ ନେଇ ବିକାଶର ଏଜେଣ୍ଡା ଆଜି ବି ଏଠି ସଙ୍ଘର୍ଷ କରୁଛି । ଆଉ ଠିକ ଏତିକି ବେଳେ ୫୨ବଜାର ୫୩ଗଳିର ବିକାଶ ପାଇଁ ଅଂଟା ଭିଡିଛନ୍ତି କଟକ ମହାନଗର ନିଗମ(ସିଏମସି)ର କମିଶନର ଅନନ୍ୟା ଦାସ । ନିଜର ଅନନ୍ୟ ପରିଶ୍ରମ ବଳରେ ସେ ବନିଯାଇଛନ୍ତି ସିଲଭର ସିଟିର ସେନ୍ସେସନ ।

୨୦୧୫ ବ୍ୟାଚର ଯୁବ ଆଇଏଏସ ଅଫିସର ଅନନ୍ୟା । ବର୍ତମାନ କଟକ ସହରରେ ସେ ଯେଉଁ ଅନ୍ଦାଜରେ କାମ କରୁଛନ୍ତି ତାହା ସବୁ ଅଫିସରଙ୍କ ପାଇଁ ଏକ ପ୍ରେରଣା ପାଲଟି ଯାଇଛି । ଗଳିକୁ ଗଳି ବୁଲୁଛନ୍ତି ଆଉ ଡୋର ଟୁ ଡୋର ଯାଇ ଲୋକଙ୍କ କଥା ବୁଝୁଛନ୍ତି । କେବଳ ଏତିକି ନୁହେଁ ବର୍ଷାରେ ବେହାଲ ହୋଇଯାଉଥିବା କଟକ ସହରରେ କେମିତି ପାଣି ଜମିବ ନାହିଁ ଓ ଜଳ ନିଷ୍କାସନ ସହ ପାନୀୟଜଳ ବ୍ୟବସ୍ଥାରେ ଉନ୍ନତି ଆସିବ ସେନେଇ ସଫଳତାର ସହ କାର୍ଯ୍ୟ ଜାରି ରଖିଛନ୍ତି ଅନନ୍ୟା । ଜାଇକା ପ୍ରକଳ୍ପ ହେଉ ଅବା ଡ୍ରେନେଜ ପରିଚାଳନା କେମିତି ଲୋକଙ୍କ ପାଇଁ ସ୍ୱଚ୍ଛ ଓ ନିର୍ମଳ ପରିବେଶ ତିଆରି କରାଯାଇପାରିବ ତାକୁ ଫୋକସ କରିଛନ୍ତି ସିଏମସି କମିଶନର।

ତେବେ କଟକ ମହାନଗର ନିଗମର ଦାୟିତ୍ୱ ନେବା ପୂର୍ବରୁ ଗୁଜୁରାଟ କ୍ୟାଡରରେ ବି ବେଶ ଚର୍ଚ୍ଚା ସାଉଁଟିଥିଲେ ଏହି ଯୁବ ଆଇଏଏସ । ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ବିଟେକ ଓ ଏମ୍ଏସ୍ସି ଡିଗ୍ରୀ ହାସଲ କରିବା ପରେ ସଫ୍ଟୱାୟାର କମ୍ପାନୀରେ ବି କିଛି ବର୍ଷ ଧରି ଚାକିରି କରିଥିଲେ । ହେଲେ ଲୋକସେବାର ନିଶା ତାଙ୍କୁ ଘରୋଇ ଚାକିରୀ କ୍ଷେତ୍ରରେ ବାନ୍ଧି ପାରି ନଥିଲା । ଚର୍ଚ୍ଚାହୁଏ ଏଥିପାଇଁ ଉଚ୍ଚ ଦରମାର ଚାକିରୀ ଛାଡି ସେ ପ୍ରଶାସନିକ ସେବା ପ୍ରତି ମନ ବଳାଇଥିଲେ । ଆଉ ୨୦୧୫ରେ ପ୍ରଥମ ପ୍ରୟାସରେ ହିଁ ଦେଶର ସବୁଠୁ ମର୍ଯ୍ୟାଦା ଜନକ ଭାରତୀୟ ପ୍ରଶାସନିକ ସେବାରେ ୧୬ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇପାରିଥିଲେ । ଅନନ୍ୟା ଦାସ ଓଡିଶାର ମୂଳ ବାସିନ୍ଦା ହୋଇଥିଲେ ବି ତାଙ୍କ ପିତା ଆସାମରେ ଚାକିରୀ କରିଥିବାରୁ ବେଶ କିଛି ସମୟ ସେ ରାଜ୍ୟ ବାହାରେ ବିତାଇଥିଲେ । ଏହାପରେ ଗୁଜୁରାଟ କ୍ୟାଡର ଆଇଏଏସ ଭାବେ ପ୍ରଶାସନିକ ସେବାରେ ନିଜର ନୂଆ ଇନିଂସ ଆରମ୍ଭ କଲେ । ହେଲେ ପରବର୍ତୀ ସମୟରେ ଓଡିଶାକୁ ତାଙ୍କ ବଦଳି ହୋଇଛି । ଆଉ ନିଜର ପ୍ରେତୃକ ଭୂମିରେ କର୍ମକ୍ଷେତ୍ର ତିଆରି କରିଛନ୍ତି ଏହି ଯୁବ ଆଇଏଏସ ଅଫିସର ।

ଜୀବନରେ ସମୟାନୁ ବର୍ତୀତା ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିବା ଏହି ୟଙ୍ଗ ଅଫିସର ନିଜ କ୍ୟାରିୟରରେ ବି ନିଆରା ଅନ୍ଦାଜ ଓ ଆଚରଣକୁ ନେଇ ବେଶ ଲୋକ ପ୍ରିୟ । ପାଠପଢାରେ ସେ ଯେତିକି ମେଧାବୀ ଥିଲେ ଆଇଏଏସ ଅଫିସର ଭାବେ ବି ସେ ସେତିକି ଦକ୍ଷ । ଭୁବନେଶ୍ୱର ମହାନଗୀର ନିଗମରେ ବି ଅତିରିକ୍ତ ସଚିବ ପାହ୍ୟାରେ କାର୍ଯ୍ୟ କରିଛନ୍ତି ଅନନ୍ୟା । ଆଉ ବର୍ତମାନ ସିଏମସି କମିଶନର ଭାବେ କଟକ ସହରର ବିକାଶ ପାଇଁ ଅନନ୍ୟା ଆରମ୍ଭ କରିଛନ୍ତି ଏକ ଅନନ୍ୟ ପ୍ରୟାସ ।

Comment here