Administration Times

ଆଇପିଏସ ସାଗରିକା

ସରଳ,ସାହସୀ ଓ ସଚ୍ଚୋଟ


୨୦୧୫ ବ୍ୟାଚର ଆଇପିଏସ ଅଫିସର ସାଗରିକା ନାଥ । ଡିସିପିି ଟ୍ରାଫିକ । କମିଶନରେଟ ପୁଲିସର ଦବଙ୍ଗ ଅଫିସର । ହେଲେ ମଣିଷ ପଣିଆର ନିଆରା ଚିତ୍ର ।

ଟ୍ରାଫିକ ନିୟମ ଓ ଜୋରିମାନା ଆଦାୟର ଖବର ଭିତରେ ସାରା ଦେଶ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଉଠୁଛି ପଡୁଛି । କିଏ କେତେ ଜରିମାନ ଦେଲେ ବା ପୁଲିସ କଣ କଲା ତାରି ଭିତରେ ସମସ୍ତେ ବ୍ୟସ୍ତ । ହେଲେ ଆଜି ଆମେ ଟ୍ରାଫିକ ବ୍ୟବସ୍ଥା ସହ ଯୋଡି ହୋଇଥିବା ଏମିତି ଜଣେ ଅଫିସରଙ୍କ କାହାଣୀ କହୁଛୁ ଯିଏ ବୋଧହୁଏ ସମସ୍ତଙ୍କ ପାଇଁ ଏକ ଅଦ୍ୱିତୀୟ ଉଦାହରଣ । ସାଗରିକା ନାଥ । କିଛି ଦିନ ଭିତରେ ରାଜଧାନୀ ରାଜରାସ୍ତାର ପରିଚିତ ଚେହେରା । ଆପଣଙ୍କୁ ଲାଗୁଥିବ ଜଣେ ଆଇପିଏସ ଅଫିସରଙ୍କୁ ଆମେ କାହିଁକି ରାଜରାସ୍ତାର ଚେହେରା କହୁଛୁ?  ଦେଖନ୍ତୁ ଏହି ରିପୋର୍ଟ ।

ଲୋକଙ୍କୁ ସଚେତନ କରିବା ଠାରୁ ତାଗିତ କରିବା ଯାଏଁ, ଟ୍ରାଫିକ ପରିଚାଳନା ଠାରୁ ନିୟମ କାନୁନ ଶିଖାଇବା ଯାଏଁ ସବୁଠି ରହିଛି ତାଙ୍କ ଭୂମିକା । ଟ୍ରାଫିକ ଡିସିପି ହେବା ପରେ ସେ ସଂସ୍କାର ଓ ସଚେତନତାକୁ ଗୁରୁତ୍ୱ ଦେଉଛନ୍ତି । ବ୍ୟସ୍ତ ବହୁଳ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ଭିତରେ ଭିଡରେ ପଶି ନିଜେ ଟ୍ରାଫିକକୁ ନିୟନ୍ତ୍ରଣ କରୁଛନ୍ତି । ଏହା ସହ ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀରର ଦାୟିତ୍ୱ ଓ ଉତ୍ତର ଦାୟିତ୍ୱକୁ ଜାହିର କରୁଛନ୍ତି ।

ହେଲେ ସାଗରିକାଙ୍କ କର୍ତ୍ତବ୍ୟ ନିଷ୍ଠାର ଇଏ ଗୋଟିଏ ଉଦାହରଣ ନୁହେଁ । କୋରାପୁଟ ଭଳି ମାଓ ଅଧ୍ୟୁଷିତ ଜିଲ୍ଲାରେ ବି ସେ ନିଜ କାର୍ଯ୍ୟ ଦକ୍ଷତାର ଉଦାହରଣ ଦେଇସାରିଛନ୍ତିି । କୋରାପୁଟରେ ରାତି ଅଧରେ ପାଟ୍ରୋଲିଂ ହେଉ ଅବା ଗଞ୍ଜେଇ ବେପାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ନିଜ ଦବଙ୍ଗଗିରି ବଳରେ ଅପରାଧୀଙ୍କୁ ଛାନିଆ କରିଥିଲେ ଆଇପିଏସ ସାଗରିକା । କେବଳ ଏତିକି ନୁହେଁ ମହିଳାଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଯେଉଁ ପଦକ୍ଷେପ ନେଇଥିଲେ ସେଥିପାଇଁ ଆଜି ବି ତାଙ୍କୁ ଝୁରି ହେଉଛି କୋରାପୁଟ ଜିଲ୍ଲା ।

ଡିପିଏସ ଦାମନଯୋଡିରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ବିଶାଖାପାଟଣାରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ । ଏହାପରେ ବିଟେକ ଡିଗ୍ରୀ କରିଥିଲେ । ହେଲେ ଛୋଟବେଳରୁ ପ୍ରଶାସନିକ ସେବାରେ ଆଗ୍ରହ ରଖିଥିବା ସାଗରିକା ସବୁ ବେଳେ ପୁଲିସ ସେବା ପାଇଁ ମନ ବଳାଇ ଥିଲେ । ଏମିତିକି ଫିଟ ଆଣ୍ଡ ଫାଇନ ରହିବା ସହ କରାଟେରେ ବି ବ୍ଲାକ ବ୍ୟାଲଟ ହାସଲ କରି ନିଜକୁ ପ୍ରସ୍ତୁତ କରିଥିଲେ । ଆଉ ଶେଷରେ ୨୦୧୫ ମସିହାରେ ଆଇପିଏସ ବନିବା ସହ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କଲେ । ବର୍ତମାନ ସେ କମିଶନରେଟ ପୁଲିସରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରତ ।

ଜୀବନରେ ଆତ୍ମ ବିଶ୍ୱାସ ଓ ସାମାଜିକ ଜୀବନକୁ ଗୁରୁତ୍ୱ ଦେଉଥିବା ସାଗରିକା ଆଜି ଯୁବ ପୀଢିଙ୍କ ପାଇଁ ଏକ ଅନନ୍ୟ ଉଦାହରଣ । ବଡ ପଦବୀ,ବଡ ଦାୟିତ୍ୱ ହେଲେ କେବେ ବି ମୂଲ୍ୟବୋଧକୁ ପଛରେ ପକାନ୍ତି ନାହିଁ ଏହି ଆଇପିଏସ । ସେଥିପାଇଁ ତ ସେ ଯେଉଁଠି ବି ଚାକରୀ କରନ୍ତି ଲୋକେ ତାଙ୍କୁ ଅତି ଆପଣାର କରିନିଅନ୍ତି । ଆଉ ସାଗରିକା ବି ଲୋକଙ୍କ ପୁଲିସ ବନି ଯାଆନ୍ତି ।

Comment here