Political Times

ସୁର:ଲୋକଙ୍କ ସ୍ୱର

ରାଜନୀତିରେ ଅନେକ ଘାତ ପ୍ରତିଘାତ ଆସେ । ହାରଜିତର ମୈଦାନରେ କେତେବେଳେ କ୍ଷମତା ମିଳେ ପୁ଼ଣି କେତେବେଳେ କ୍ଷମତା ଦୂରେଇ ଯାଏ । ହେଲେ ଏମିତି ଖୁବ କମ ରାଜନେତା ଅଛନ୍ତି ଯେଉଁମାନେ କ୍ଷମତାରୁ ଉଦ୍ଧ୍ୱର୍ରେ ରହି ସାଲିସ ବିହୀନ ରାଜନୀତିକୁ ଆଦରି ପାରନ୍ତି । କ୍ଷମତା ଓ ପ୍ରଲୋଭନ ଠାରୁ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି । ଏମିତି ଜଣେ ଦିଗ୍ଗଜ ରାଜନେତା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବା ସମସ୍ତଙ୍କ ମୁହଁରେ ପରିଚିତ ନାଁ ସୁର ରାଉତରାୟ । ୭୦ଦଶକରୁ ରାଜନୀତିରେ ସକ୍ରିୟ ଥିବା ସୁର ରାଉତରାୟ ବର୍ତମାନ ଜଟଣୀ ବିଧାୟକ ଅଛନ୍ତି । ୧୯୭୭ରୁ ନିର୍ବାଚନ ମୈଦାନରେ ପାଦ ଦେଇ ପାଂଚ ପାଂଚ ଥର ଜଟଣୀ ବିଧାୟକ ରହିସାରିଥିବା ସୁର ୨୦୧୯ରେ ଷଷ୍ଠ ଥର ପାଇଁ ବିଧାନସଭାକୁ ଯାଇଛନ୍ତି । ଜନତା ଦଳରୁ ନିଜ ବିଧାୟକ ଜୀବନ ଆରମ୍ଭ କରିଥିବା ସୁର ଇନ୍ଦୀରା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୮୦ଦଶକରୁ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଉ ୨୦୧୯ରେ ଯେତେବେଳେ ଦେଶରେ ବିଜେପି ଓ ରାଜ୍ୟରେ ବିଜେଡି ଶକ୍ତିଶାଳୀ ସ୍ଥିତିରେ ଥିଲା ଓ କଂଗ୍ରେସ ଆଶା ଆଶଙ୍କାରେ ଗତି କରୁଥିଲା ସେତେବେଳେ କିନ୍ତୁ ଜଟଣୀରେ କିନ୍ତୁ ବପୁଳ ସମର୍ଥନରେ ବାଜିମାତ କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ନିଜର ସାଙ୍ଗଠନିକ ଦକ୍ଷତା ଓ \nଲୋକପ୍ରିୟତା ବଳରେ ପ୍ରାୟ ୬୮ହଜାରରୁ ଅଧିକ ଭୋଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜନୈତି ସମୀକ୍ଷକଙ୍କ ମତରେ ସୁରଙ୍କ ସଫଳତା ପଛରେ ଦଳୀୟ ଶକ୍ତି ଅପେକ୍ଷା ସୁରଙ୍କ ନିଜସ୍ୱ ଆଭିମୁଖ୍ୟର ଭୂମିକା ଯଥେଷ୍ଟ ଅଧିକ । କାହିଁକି ନା ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ପଶିବାର ସୁଯୋଗ ପାଇପାରି ନଥିଲେ ସୁର ରାଉତରାୟ । ହେଲେ କମି ନଥିଲା ଲୋକପ୍ରିୟତା । ଦିନେ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ପାଇଥିବା ସୁର ରାଉତରାୟ ନିର୍ବାଚନର ପରାଜୟକୁ ନେଇ ଭାଙ୍ଗି ପଡି ନଥିଲେ । ଲୋକଙ୍କ ସହ ମିଶିବା ଓ ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡା ହେବା ପାଇଁ ଭରପୁର ପ୍ରୟାସ କରି ଚାଲିଥିଲେ । କୁହାଯାଏ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ନେତା ହେଉଛନ୍ତି ସୁର ରାଉତରାୟ । କାହା ଘରେ ଏକୋଇଶିଆ ହେଉ କି ଏକାଦଶାହ ,ମେଡିକାଲରେ ଆବଶ୍ୟକତା ହେଉ ଅବା ମଶାଣିର ଦୁଃଖଭରା ମାହୋଲ,ସବୁଠି ଲୋକଙ୍କ ସହ ଛିଡା ହୁଅନ୍ତି ସୁର ରାଉତରାୟ । କେବଳ ନିଜ ନିର୍ବାଚନ ମଣ୍ଡଳୀ ଜଟଣୀ ନୁହେଁ ରାଜଧାନୀରେ ବି ଲୋକଙ୍କ ଭଲମନ୍ଦରେ ଲୋଡା ପଡନ୍ତି ସମସ୍ତଙ୍କ ମୁହଁର ପରିଚିତ ନାଁ ସୁର ଭାଇ । ନିଜର ଆଚରଣ ଓ ଆଭିମୁଖ୍ୟ ପାଇଁ ଦଳମତ ନର୍ବିଶେଷର ସମସ୍ତେ ସୁରଙ୍କ ସହ ମିଶି ଯାଆନ୍ତି ।୨୦୧୯ରେ ବିଧାନସଭାକୁ ପୁଣି ଥରେ ଯିବା ପରେ ଗୃହ ଭିତରେ ବି ଲୋକଙ୍କ ସ୍ୱର ବନିଛନ୍ତି ସୁର । ଶାସକ ଦଳର ମାଳ ମାଳ ନେତା ଓ ପ୍ରମୁଖ ବିରୋଧୀ ବିଜେପି ସଦସ୍ୟଙ୍କ ଉପସ୍ଥିତି ଭିତରେ ବି କେଇ ଜଣ କଂଗ୍ରେସ ବିଧାୟକଙ୍କୁ ନେଇ ଗୃହକୁ ହଲଚଲ କରିଦିଅନ୍ତି ଏହି ଦିଗ୍ଗଜ ରାଜନେତା । ଅଭିଜ୍ଞତା,ଲୋକପ୍ରିୟତା ଓ ଦକ୍ଷତା,ସବୁକିଛି ଥିବା ସତ୍ୱେ କ୍ଷମତା ଲାଳସା ତାଙ୍କୁ ଛୁଇଁ ପାରିନାହିଁ । ରୋକଠୋକ ଭାବେ ଳୋକଙ୍କ କଥା କୁହନ୍ତି । ଏମିତିକି ଲୋକଙ୍କ ସ୍ୱାର୍ଥ ପାଇଁ ସୁର ଦେଇଥିବା କିଛି ବୟାନ କଂଗ୍ରେସକୁ ବି ଅଡୁଆରେ ପକାଇଛି । ହେଲେ କେବେ ବି ରାଜନୀତିରେ ସାଲିସ କରିନାହାଁନ୍ତି ଏହି ବରିଷ୍ଠ ରାଜନେତା କି ଶୃଙ୍ଖଳାର ସୀମା ସରହଦକୁ ଅତିକ୍ରମ କରି ଦଳବିରୋଧୀ ଆଚରଣ ବି କରିନାହାଁନ୍ତି । ସବୁବେଳେ ନିରପେକ୍ଷ ଭାବେ ଲୋକଙ୍କ ସ୍ୱର ବନିଛନ୍ତି ସୁର । ସେଥିପାଇଁ ତ କଂଗ୍ରେସ ରାଜନୀତିରେ ସୁବବେଳେ ଗୋଷ୍ଠି କନ୍ଦଳର ଚର୍ଚ୍ଚା ହେଲେ ବି ସୁର କିନ୍ତୁ ସମସ୍ତଙ୍କ ପାଇଁ ଅତି ଆପଣାର । ଲୋକଙ୍କ ଭରସା,ଦଳର ଶକ୍ତି ଓ ବିରୋଧୀଙ୍କ ପାଇଁ ବି ମନକୁ ଛୁଇଁ ପାରିଲା ଭଳି ଜଣେ ରାଜନେତା ସୁର ରାଉତରାୟ ।

Comment here