Entertainment Times

ଅଦ୍ୱିତୀୟ ଅନୁ

ଓଡିଆ ସିନେ ପରଦାର ସେ ଚନ୍ଦ୍ରମୁଖୀ । ବେଶ କିଛି ଦିନର ବିରତି ପରେ ଏକ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ଅଭିନେତ୍ରୀ ଅନୁ ଚୈାଧୁରୀ । ଦେବଦାସ ଚଳଚ୍ଚିତ୍ରର ଓଡିଆ ସଂସ୍କରଣ ‘ନାୟକର ନାଁ ଦେବଦାସ’ରେ ଚନ୍ଦ୍ରମୁଖୀ ଚରିତ୍ରରେ ବେଶ ଲୋକପ୍ରିୟ ହୋଇଛନ୍ତି ଅନୁ । ଗତ କିଛି ବର୍ଷ ଭିତରେ ରାଜନୀତିରେ ସକ୍ରିୟ ଥିବା ଅନୁ ଚୈାଧୁରୀ ପୁଣି ଥରେ ଏକ ନୂଆ ରୂପରେ ଓଲିଉଡକୁ କମବ୍ୟାକ କରିଛନ୍ତି । ଆଉ ସବୁବେଳେ ପରୀକ୍ଷଣକୁ ଗୁରୁତ୍ୱ ଦେଉଥିବା ଅନୁ ଚୈାଧୁରୀ ଏଥର ବି ଏହି ନୂଆ ଏକ୍ସପେରିମେଂଟରେ ସଫଳ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ସିନେ ପରଦା ଠାରୁ ଆପାତତଃ ଦୂରେଇ ଯାଇଥିବା ଅନୁ ଚୈାଧୁରୀଙ୍କ କମବ୍ୟାକ ତାଙ୍କ ଫ୍ୟାନ ମାନଙ୍କୁ ଉତ୍ସାହିତ କରିଛି । ଏହାରି ଭିତରେ ଅନୁ ଛବିରାଣୀ ଓ ପାଟଣାଗଡ ଭଳି ଚଳଚ୍ଚିତ୍ରରେ ବି ଯୋଡି ହୋଇଛନ୍ତି । ଅଭିନେତ୍ରୀରୁ ନେତ୍ରୀ ବନିବା ପରେ ଧିରେ ଧିରେ ଚଳଚ୍ଚିତ୍ର ଜଗତରେ ଅନୁଙ୍କ ଉପସ୍ଥିତି କମିଛି ସତ । ହେଲେ ଲୋକପ୍ରିତା ଆଜି ବି ଅତୁଟ । ସେଥିପାଇଁ ଯେତେବେଳେ ପୁଣି ଥରେ ଅନୁ ଚୈାଧୁରୀଙ୍କ ଚଳଚ୍ଚିତ୍ର ଆସିଲା ସେତେବେଳେ ଦର୍ଶକଙ୍କ ଭିତରେ ବି ଉତ୍ସାହ ଖେଳିଗଲା । କାହିଁକି ନାଁ ୯୦ଦଶକରୁ ଚଳଚ୍ଚିତ୍ର ଜଗତ ସହ ଯୋଡି ହୋଇଥିବା ଅନୁ ଚୈାଧୁରୀଙ୍କ ଅଭିନୟରେ ହିଁ ଏମିତି କିଛି ବାସ୍ତବବୋଧତା ଓ ନିଖୁଣତା ରହିଛି ଯାହା ଦର୍ଶକଙ୍କୁ ସବୁବେଳେ ଛୁଇଁ ପାରିଛି । ସେଥିପାଇଁ ତ ୧୯୯୮ ମସିହାରେ ନିଜର ପ୍ରଥମ ଓଡିଆ ଚଳଚ୍ଚିତ୍ର ମା ଗୋଜବାୟାଣିରେ ହିଁ ସମସ୍ତଙ୍କର ନଜରକୁ ଆସିଯାଇଥିଲେ ସେତେବେଳର ଏହି ନବାଗତା । ଏମିତିକି ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସର୍ବୋକ୍ରୃଷ୍ଟ ଅଭିନେତ୍ରୀର ସମ୍ମାନ ବି ମିଳିଥିଲା । ଏହାପରେ ଆଉ କେବେ ପଛକୁ ଚାହିଁ ନାହାଁନ୍ତି ଅନୁ । ଓଲିଉଡ ସହ ବଲିଉଡ,ତେଲୁଗୁ ଓ ବଙ୍ଗାଳୀ ଚଳଚ୍ଚିତ୍ରରେ ବି ନିଜର ପାରଦର୍ଶିତା ଜାହିର କରିଛନ୍ତି । ଏଥିପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଲସ ଆଞ୍ଜେଲସ ଫିଲ୍ମ ଆୱାର୍ଡ ଓ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବି ସମ୍ମାନିତ ହୋଇଛନ୍ତି । ଓଡିଆ ଚଳଚ୍ଚତ୍ରର ଏଡିଟର ରବି ଚୈାଧୁରୀ ଓ ସୈାଦାମିନୀ ଚୈାଧୁରୀଙ୍କ ଔରସରୁ ଜନ୍ମ ନେଇଥିବା ଅନୁଙ୍କ ଅଭିନୟର ପ୍ରତିଭା ଛୋଟ ବେଳରୁ ହିଁ ବିକଶିତ ହୋଇଥିଲା । ସମୟ ବଦଳିଛି, ଚଳଚ୍ଚିତ୍ରର ଢାଂଚା ବି ବଦଳିଛି । ହେଲେ ଆଜି ବି ଅଦ୍ୱିତୀୟ ଅନୁ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜ ଅଭିନୟର ଜାଦୁରେ ଲୋକଙ୍କୁ ବାନ୍ଧି ରଖିପାରିଛନ୍ତି । ଅବଶ୍ୟ ବିଜେପିରେ ସାମିଲ ହୋଇ ରାଜନୀତିରେ ସକ୍ରିୟ ହେବା ପରେ ତାଙ୍କ ଦାୟିତ୍ୱ ଆହୁରି ବଢିଯାଇଛି । ବର୍ଷୱାରୀ ଅନୁଙ୍କ ଚଳଚ୍ଚିତ୍ର ସଂଖ୍ୟା କମିଛି । ପରଦାରେ ଅନୁଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ପ୍ରଶଂସକ ମନ ଉଣା ବି କରନ୍ତି । ହେଲେ ଅନ୍ୟପଟେ ରାଜନୀତିର ମୈଦାନରେ ପରଦାରୁ ବାହାରି ଲକ୍ଷ ଲକ୍ଷ ସମର୍ଥକଙ୍କ ପାଖରେ ପହଁଚିବାର ବି ସୁଯୋଗ ପାଆନ୍ତି ଅନୁ ଚୈାଧୁରୀ । ଏମିତିକି ତାଙ୍କର ଲୋକପ୍ରିୟତା ଯୋଗୁଁ ବିଭିନ୍ନ ନିର୍ବାଚନରେ ଅନୁ ଚୈାଧୁରୀଙ୍କୁ ଷ୍ଟାର ପ୍ରଚାରକ ଭାବେ ବି ମୈଦାନକୁ ଓହ୍ଲାଇଛି ବିଜେପି । ସରଳ, ସ୍ପଷ୍ଟ ଓ ସଂଜତ ଆଚରଣ ଓ ଉଚ୍ଚାରଣ କାରଣରୁ ଅଭିନେତ୍ରୀରୁ ସଫଳ ନେତ୍ରୀ ବି ବନି ପାରିଛନ୍ତି । ଆଉ ଯେତେବେଳେ ପୁଣି ଥରେ ଏକାଧିକ ଚଳଚ୍ଚିତ୍ର ସହ ପରଦାରେ ଅନୁଙ୍କୁ ଦେଖିବାକୁ ମିଳୁଛି ସେତେବେଳେ ତାଙ୍କ ପ୍ରଶଂସକ ଭିତରେ ନାହିଁ ନଥିବା ଖୁସି ।

Comment here