Administration Times

ପୁଲିସ ପାଇଁ ଫାଇଭ ଟି: ବି.କେ.ଶର୍ମାଙ୍କୁ ବଡ ଦାୟିତ୍ୱ

ପୁଲିସ ବିଭାଗରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସରକାରଙ୍କ ବହୁ ପ୍ରତିକ୍ଷିତ ମୋ ସରକାର ଯୋଜନା । ଏଥିପାଇଁ ୦୫ଟି ମନ୍ତ୍ର ସହ ଜିଲ୍ଲା ଏସ୍ପି ଓ ଥାନା ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ସେବା କେମିତି ଲୋକଙ୍କ ଦ୍ୱାରରେ ପହଁଚିବ ଓ ସରକାରଙ୍କ ବିଶ୍ୱସନୀୟତା ବଢିବ ସେନେଇ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ଆଉ ଏହି ବ୍ୟବସ୍ଥାକୁ ଗୃହ ବିଭାଗରୁ ଆରମ୍ଭ କରୁଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ସରକାରଙ୍କ ଏଜେଣ୍ଡାକୁ କେମିତି ଥାନା ସ୍ତରରେ ଲାଗୁ କରାଯିବ ସେନେଇ ଡିଜିପି ବି.କେ. ଶର୍ମାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ପୁଲିସର ଆଚରଣ ଓ ଉଚ୍ଚାରଣରେ ଶାଳୀନତା, ଅଭିଯୋଗକାରୀ ପୁଲିସ ପାଖକୁ ଧାଇଁବା ଅପେକ୍ଷା ପୁଲିସ ଅଭିଯୋଗକାରୀ ନକିଟରେ ପହଁଚିବା ଭଳି ଏ÷ତିହାସିକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଡିଜିପିଙ୍କୁ ମିଳିଛି ଦାୟିତ୍ୱ । କୁହାଯାଏ ଡିଜିପି ବିଜୟ କୁମାର ଶର୍ମାଙ୍କ ଦକ୍ଷତା ଉପରେ ତୃତୀୟ ମହଲା ଯଥେଷ୍ଟ ବିଶ୍ୱାସ କରେ । ଯେଉଁଥିପାଇଁ ସେ ପାୱାର କରିଡରରେ ବି ବେଶ ପାୱାରଫୁଲ । ଏଣୁ ପୁଲିସ ବିଭାଗରୁ ନିଜର ଏକ ବଡ ଯୋଜନା ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବି ବହୁ ଜଟିଳ ପରିସ୍ଥିତିରେ ବି.କେ. ଶର୍ମାଙ୍କୁ ଦାୟିତ୍ୱ ଦେଇ ସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇଛନ୍ତି ସରକାର । ବର୍ତମାନ ପୁଣି ଥରେ ଏହି ଟପ୍ ଆଫିଏସ୍ଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ଦିଆଯାଇଛି । ଯାହା ପୁଲିସ ବିଭାଗରେ ସ୍ୱଚ୍ଛତା ଓ ସଂସ୍କାର ଆଣିବାରେ ରାଜ୍ୟ ସରକାରଙ୍କର ସବୁଠୁ ବଡ ପଦକ୍ଷେପ ବୋଲି କୁହାଯାଉଛି ।

୧୯୮୬ ବ୍ୟାଚର ଏହି ଟପ୍ ଆଇପିଏସ, ପୁଲିସକୁ ଲୋକପ୍ରିୟ କରିବାରେ ବେଶ ମାହିର । ୨୦୦୮ ମସିହାରେ ଯେତେବେଳେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଏକ ଘଡିସନ୍ଧି ମୂହୁର୍ତ ଦେଇ ଗତି କରୁଥିଲା,ସେତେବେଳେ ଆଇପିଏସ ଶର୍ମାଙ୍କ ଉପରେ ଭରସା କରିଥିଲେ ରାଜ୍ୟ ସରକାର । ବି.କେ. ଶର୍ମା ନିଜ କାର୍ଯ୍ୟଦକ୍ଷତା ବଳରେ କେବଳ କମିଶନରେଟ ପୁଲିସକୁ ଆହୁରି ଲୋକପ୍ରିୟ କରିନଥିଲେ ବରଂ ଟ୍ୱିନସିଟିର ଟ୍ରାଫିକ ବ୍ୟବସ୍ଥାକୁ ଏକ ନୂଆ ରୂପ ଦେଇଥିଲେ । କମିଶନରେଟ ପୁଲିସର ଢାଂଚାକୁ ମଜବୁତ କରି ଟ୍ୱିନସିଟିରୁ ଗ୍ୟାଙ୍ଗଷ୍ଟାରଙ୍କୁ ମୂଳ ପୋଛ କରିବା ଭଳି ପ୍ରୟାସ ତାଙ୍କରି ସମୟରେ ହିଁ ଆରମ୍ଭ ହୋଇଥିଲା । ସେତେବେଳେ ସାରା ରାଜ୍ୟ ଦେଖିଥିଲା ଟ୍ୱିନସିଟିର ସୁପର କୋପ୍୍ଙ୍କ ସୁପର ସୋ ।

କେବଳ ଏହି ଗୋଟିଏ ଘଟଣା ନୁହେଁ ବି.କେ.ଶର୍ମା କ୍ରାଇମବ୍ରାଂଚର ଆଇଜି,ଅତିରିକ୍ତ ଡିଜି ଓ ସ୍ପେଶାଲ ଡିଜି ଭାବେ କାର୍ଯ୍ୟକରି ଅପରାଧଙ୍କୁ ଛାନିଆ କରିଥିଲେ । ଏହା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ଅର୍ଥନୈତିକ ଅପରାଧ ଶାଖା ଓ ଦୁର୍ନୀତି ନିବାରଣ ଶାଖାରେ ବି ଏହି ଟପ୍ କୋପ୍ଙ୍କ ଅଭିଜ୍ଞତା ରହିଛି । ଏଣୁ ବର୍ତମାନ ଡିଜିପି ଶର୍ମାଙ୍କ ତତ୍ୱାବଧାନରେ କେମିତି ପୁଲିସ ବିଭାଗରେ ଦୁର୍ନୀତି କମିବ ଓ ପବ୍ଲିକ-ପୁଲିସ ସମ୍ପର୍କ ମଜବୁତ ହେବ ସେନେଇ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ବି,କେ ଶର୍ମା ସୁନ୍ଦରଗଡ, ଫୁଲବାଣୀ, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ ବି କାର୍ଯ୍ୟ କରିଛନ୍ତି । ଅଗ୍ନିଶମ ବାହିନୀର ମୁଖିଆ ଭାବେ ବି ଆଇପିଏସ ଶର୍ମାଙ୍କ ଅଭିଜ୍ଞତା ରହିଛି । ଗୃହ ବିଭାଗ ଅଧିନରେ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିବା ବି.କେ. ଶର୍ମା ମୋ ସରକାର ଯୋଜନାରେ ବର୍ତମାନ ପୁଲିସ ବିଭାଗରେ ଏକ ବଡ ସଂସ୍କାର ଆଣିବାର ଦାୟିତ୍ୱ ନେଇଛନ୍ତି । ଆଉ ସୁପର କୋପ୍ଙ୍କ ଆଉ ଏକ ସୁପର ଶୋକୁ ଅପେକ୍ଷା କରିଛି ସାରା ଓଡିଶା ।\n

Comment here